Unknown

 

 

 

 

 

 

 

 

 

 

ନୀଳଗିରି ଚଉତିଶା

ଜଗନ୍ନାଥ

 

କହଇ ଚୈତନ୍ୟ ଖୋଜି ସାଧୁସଙ୍ଗ ଘେନ

ଗୁପତ ଗୁରୁଙ୍କ ଜ୍ଞାନ ଘୋଟିଛି ଅଶେଷ ବ୍ରହ୍ମ

ନୀଳଗିରି, ମନ ନୀଳଗିରି

କାଉଁରୀ ମଣ୍ଡଳକୁ ଆସ ଫେରି ।୧।

 

ଚନ୍ଦ୍ର ସୂର୍ଯ୍ୟ ବନ୍ଦୀକର, ଛଡ଼ଚକ୍ରରେ ବିହାର

ଜୀବ ପରମ ବିଚାର, ଝିନନାଳେ ଚୋରଧର

ନିତ୍ୟସ୍ଥଳେ, ମନ ନିତ୍ୟସ୍ଥଳେ

ଅଷ୍ଟସଖୀ ସେବା ଦେଖ ନିରନ୍ତର ।୨।

 

ଟେକି ଟାକିଲେ ପାଇବୁ, ଠୁଳ ବ୍ରହ୍ମ ଭେଟିବୁ

ଡମ୍ବରୁ ଷୋଳ ଫେଇବୁ, ଢାଙ୍କୁଣୀ ଆଣ୍ଟ କରିବୁ

ଅଣାକାର, ମନ ଅଣାକାର

ଆକାର ଉକାର ମନ ହେତୁକର ।୩।

 

ତିନିକି ଏକ କରିବୁ, ଥକାଏ ନିଶ୍ଚଳ ଥିବୁ

ଦୁଇ ଦଳ ମଧ୍ୟେ ଯିବୁ, ଧୀର ସନ୍ଧିରେ ଚାହିଁବୁ

ନୀଳଗିରି, ମନ ନୀଳଗିରି

ଚତୁର୍ଦ୍ଧା ମୂରତି ଛନ୍ତି ବିଜେକରି ।୪।

 

ପରମ ଯେହୁ ଅଶେଷ, ହୁଙ୍କବନ୍ଧେ ଯାର ବାସ

ବ୍ରହ୍ମାଶିବ ଯାର ବାସ, ଭାବି ନ ପାଇଲେ ଲେଶ

ମଧୁପାନ ମନ, ମଧୁପାନ

ପିଇ ଭକ୍ତ ଭୋଳ ହେଲେ ହତଜ୍ଞାନ ।୫।

 

ଜାଣି ନାରଦ ପିଇଲେ, ରସେ ବ୍ରଜାଙ୍ଗନା ଥିଲେ

ନବଧା ଭକ୍ତି ପାଇଲେ, ବୃନ୍ଦାବନ ରାସ କଲେ

ସୁର ନର, ମନ ସୁରନର

ସୁଖେ ଖାଇ ନୟନରୁ ବହେ ନୀର ।୬।

 

ସୁମନ ମୋ ବୋଲକର, ସାଧବ ସଙ୍ଗକୁ ଧର

ହରିବ ଦୁଃଖ ତୋହର, କ୍ଷମାନିଧିଙ୍କ ପୟର

କ୍ଷିତି ତଳେ, ମନ କ୍ଷିତିତଳେ

ଛାରଜଗା ନା ଭଜିଲା ଅଜ୍ଞାନରେ ।୭।

 

ଭାବାର୍ଥ – (୧-୪) ଚୈତନ୍ୟ ଅର୍ଥାତ୍ ଚେତନା ବା ଜ୍ଞାନ କହୁଛି, ରେ ମନ ଖୋଜି ଖୋଜି ସାଧୁ ସଙ୍ଗରେ ଧ୍ୟାନଦିଅ । ଗୁରୁଙ୍କ ଗୁପ୍ତଜ୍ଞାନ ଅଶେଷ ବ୍ରହ୍ମ ମଣ୍ଡଳକୁ ଘୋଟିଛି, ନୀଳଗିରି ପର୍ବତରେ ସ୍ଵୟଂ ଜଗନ୍ନାଥ ବିଜେ କରିଛନ୍ତି । ତାଙ୍କୁ ଦର୍ଶନ କରି ମନ ନୀଳଗିରି ଭଉଁରି ମଣ୍ଡଳକୁ ଫେରି ଆସ । ଚନ୍ଦ୍ରସୂର୍ଯ୍ୟ ଯେ ଦୁଇଚକ୍ଷୁ, ତାଙ୍କୁ ବନ୍ଦ କର । ଷଡ଼ (ଛଡ଼) ଚକ୍ରରେ ବିହାର କର । ତନ୍ତ୍ର ଶାସ୍ତ୍ରରେ ପଦ୍ମାକୃତି ଛଅଟି ଚକ୍ର ବା ସ୍ଥାନ ରହିଛି । ସେଗୁଡ଼ିକ ହେଲା- ଗୁହ୍ୟଦ୍ଵାରର ଉର୍ଦ୍ଧ୍ୱସ୍ଥ ‘ମୂଳାଧାର ବା ଆଧାରଚକ୍ର, ଲିଙ୍ଗ ମୂଳସ୍ତ ସ୍ୱାଧୀଷ୍ଠାନ ବା ଲିଙ୍ଗଚକ୍ର, ନାଭିମୂଳସ୍ଥ ମଣିପୂରକ ବା ନାଭିଚକ୍ର, ହୃଦୟମଧ୍ୟସ୍ଥ ଅନାହତ ବା ହୃଦୟଚକ୍ର, କଣ୍ଠଦେଶସ୍ଥ ବିଶୁଦ୍ଧ ବା କଣ୍ଠଚକ୍ର, ଭୂମଧ୍ୟସ୍ତ ‘ ଆଜ୍ଞା’ ବା ରାଧାଚକ୍ର ବା ବ୍ରହ୍ମରନ୍ଧ୍ର ଚକ୍ର । ଜୀବ ବା ଭବବାନ, ପରମ ଯେ ଆତ୍ମା । ନିତ୍ୟସ୍ଥଳ ଯେ ବୈକୁଣ୍ଠପୁର । ନିତ୍ୟସ୍ଥଳରେ ମନ ନିତ୍ୟସ୍ଥଳ ଅର୍ଥାତ୍ ମନବୈକୁଣ୍ଠପୁରରେ ଅଷ୍ଟସଖୀ ସେବାକୁ ବା ଅଷ୍ଟ ପ୍ରହର ସେବାକୁ ନିରନ୍ତର ଦେଖ । ପ୍ରଭୁଙ୍କୁ ଡାକିଲେ ଠୁଳବ୍ରହ୍ମଙ୍କୁ ପାଇବୁ । ବୈକୁଣ୍ଠ ପ୍ରାପ୍ତ ହେବୁ । ଷୋଳ ପାଖୁଡ଼ାଯୁକ୍ତ ପଦ୍ମ, ସଂସାର ଚକ୍ରର ଷୋଳଟି ଅର, ପଞ୍ଚକମୈନ୍ଦ୍ରିୟ, ପଞ୍ଚଜ୍ଞାନେନ୍ଦ୍ରିୟ, ପଞ୍ଚ ତନ୍ନାତ୍ର ଓ ମନକୁ ଟାଣ କରି ଭେଦିବୁ । ଭଗବାନ ଅଣାକାର, ଅରୂପ, ମନ ଅଣାକାର । ରେ ମନ ଏ କଥାକୁ ହେଜ । ମନ, ଧ୍ୟାନ ଓ ଚଇତନକୁ ଏକ କରି ଭୂତ, ବର୍ତ୍ତମାନ ଆଗତ, ତିନି ଠାକୁରଙ୍କୁ ଏକ କରି ନିଶ୍ଚଳ ରହିବୁ । ଦୁଇ ଜୀବ ଓ ପରମକୁ ଧ୍ୟାନ କରି ମନକୁ ସ୍ଥିର ପୂର୍ବକ ତାଙ୍କୁ ଚାହିଁବୁ । ସେ ନୀଳଗିରି ନାଥ । ରେ ମନ, ସେଇ ନୀଳଗିରିରେ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ ବିଜେ କରିଛନ୍ତି ।

 

ଶବ୍ଦାର୍ଥ - (୫) ଅଶେଷ – ପଦ୍ମପାଦେ ମଧୁରସ, ହୁଙ୍କାବନ୍ଧେ – ଫୁଙ୍କାବନ୍ଧେ । (୬) ଖାଇ-ପାଇ ।

 

ଭାବାର୍ଥ - (୫-୭) ଯିଏ ପରମମୟ ଭଗବାନ, ଯିଏ ଅଶେଷ ଅର୍ଥାତ୍ ତାଙ୍କ ପଦ୍ମପାଦରେ ମଧୁରସ ପୂରି ରହିଛି, ମହାଶୂନ୍ୟରେ ଯାହାର ବାସ, ସ୍ୱୟଂ ସେ ନୀଳଗିରି ନାଥ । ବ୍ରହ୍ମା, ଶିବ ଯାହାର ବାସସ୍ଥାନର ଲେଶମାତ୍ର ଚିହ୍ନ ପାଇନାହାନ୍ତି, ତୁ ତାଙ୍କୁ କେମିତି ପାଇବୁ ? ରେ ମନ, ଭଗବାନ ରୂପକ ମଧୁ ପାନକର । ମଧୁପାନ କରି ଭକ୍ତ ଭୋଳ ହୋଇ ଜ୍ଞାନହରା ହୋଇଯାଉଛି । ଏହି ରହସ୍ୟକୁ ହୃଦୟଙ୍ଗମ କରି ନାରଦ ତାକୁ ପିଇଲେ । ସେଇ ପ୍ରେମ-ଭକ୍ତି ରସରେ ବିମୋହିତା ହୋଇ ଗୋପାଙ୍ଗନା ନିଜକୁ ଧନ୍ୟ ମନେ କରିଛନ୍ତି । ସେମାନେ ନବଧା ଭକ୍ତି ପାଇଲେ ଓ ବୃନ୍ଦାବନରେ ରାସକ୍ରୀଡ଼ା କଲେ । ରେ ମନ, ଦେବତା, ମନୁଷ୍ୟ ଏ ପ୍ରେମରସ ପାଇ ସୁଖୀ ହୋଇଛନ୍ତି । ସେମାନଙ୍କ ଚକ୍ଷୁରୁ ଆନନ୍ଦାଶ୍ରୁ ଝରି ପଡୁଛି ।

 

ରେ ସୁମନ, ମୋ ବୋଲ କର । ସାଧୁମାନଙ୍କ ସଙ୍ଗ ଲାଭ କର । ପ୍ରଭୁଙ୍କ ପାଦ ତଳେ ଶରଣ ପଶ । ସେ ତୋର ଦୁଃଖ ହରଣ କରିବେ । ଜଗତରେ ସେ ହି ସବୁ କିଛି । ଛାର ଜଗା (କବି) ଅଜ୍ଞାନ ପଣରେ ନୀଳାଚଳନାଥଙ୍କୁ ଭଜିଲା ନାହିଁ ।